Unknown

 

 

 

 

 

 

 

 

 

କରତାପୁରୁଷ ଚଉତିଶା

ସନ୍ଥକବି ଭୀମ ଭୋଇ

 

(ସନ୍ଥକବି ଭୀମ ଭୋଇ-ଅନୁମାନିକ ୧୮୫୫-୧୮୯୫ ଖ୍ରୀ.ଅ.ର କବି । ସେ ଥିଲେ ଜନ୍ମରୁ ଅନ୍ଧ । ରେଢ଼ାଖୋଲ ଠାରେ ସେ ଜନ୍ମଗ୍ରହଣ କରିଥିଲେ । କବି ବହୁ ଗ୍ରନ୍ଥ, ପାଞ୍ଚ ଶହରୁ ଊର୍ଦ୍ଧ୍ୱ ଭଜନ, ଅନେକ ଚଉତିଶା ରଚନା କରିଛନ୍ତି । ତାଙ୍କ ଶ୍ରେଷ୍ଠ କୃତି ମଧ୍ୟରେ ‘ସ୍ମୃତି ଚିନ୍ତାମଣି’, ‘ବ୍ରହ୍ମନିରୂପଣ ଗୀତା’, ‘ଆଦିଅନ୍ତ ଗୀତା’, ଅଷ୍ଟକ ବିହାରୀ ଗୀତା’, ‘ନିର୍ବେଦ ସଂହିତା’ ପ୍ରଭୃତି ରହିଛି-। କବିଙ୍କ ଚଉତିଶାରେ ଜୀବନର ଦର୍ଶନ ପ୍ରକାଶ ପାଇଛି ।)

 

କରତା ପୁରୁଷ ବୋଲି କରପତ୍ର ଯୋଡ଼ି

କାରଣ ନିମନ୍ତେ ନିତ୍ୟ ପାଦ ତଳେ ପଡ଼ି ।

କୃପା ସାଗର ମହିମା

କଷଣ ପଡ଼ୁଛି ଯେତେ କି ଦେବି ଉପମା ।୧।

 

ଖମ୍ବ ପ୍ରାୟ ବିରାଜିଛ ଅଲେଖ ଅଦ୍‌ଭୁତ

କ୍ଷୟ ବୃଦ୍ଧି ନାହିଁ ନାମ ଚାରିଯୁଗେ ସତ ।

କ୍ଷମାସାଗର ପୁରୁଷ

ଖେଳିବି ବୋଲି ସଂସାରେ କରିଅଛି ଆଶ ।୨।

 

ଗିରି ମେରୁ ପ୍ରାୟ ବାନା ଉଦୟେ ସଂସାରେ

ଗର୍ଭପୋଡ଼ି ଯାଉଅଛି ଶୋକ ସନ୍ତାପରେ ।

ଗତି ମୁକତି ଶ୍ରୀଗୁରୁ

ଗାଇସାରି ହୋଇ ଦିବା ରଜନୀ ନ ସରୁ ।୩।

 

ଘୋଟିଅଛି ପଦ୍ମପାଦ ତିନି ଭୁବନରେ

ଘେନି ଧରିଅଛି ଦୃଢ଼ ବନ୍ଧେ ହୃଦୟରେ ।

ଘଟଯୁଗ ପ୍ରାଣପତି

ଘଡ଼ିକି ଘଡ଼ି ମନରେ ପଡ଼ୁଛି ବିପତ୍ତି ।୪।

 

ଅଲେଖ ମହିମା ଭଜି କରିଛି ଆଶରା

ଅଙ୍ଗେ ପଡ଼ୁଅଛି ଦୁଃଖ ନ ଯାଏ ପାସୋରା ।

ଅବଧୂତ ବାନା ଉଦେ

ଆଜ୍ଞା ହେଉ ପ୍ରଭୁ ମୋତେ ଶ୍ରୀମୁଖରୁ ପଦେ ।୫।

 

ଚନ୍ଦ୍ରକିରଣ ପରାୟ ଯାର ପଦ୍ମପାଦ

ଚକ୍ର ବାନା ଥାଉଁ ଥାଉଁ ପଡ଼ୁଛି ପ୍ରମାଦ ।

ଗୁରୁଚରଣ ମୁଁ ଧରି

ଚିଦାନନ୍ଦ ପ୍ରଭୁ ବୁଝ ବୁଝ ବେଗ କରି ।୬।

 

ଭାବାର୍ଥ- (୧-୬) ମହିମା ଅଲେଖ ବ୍ରହ୍ମ ନିରଞ୍ଜନଙ୍କୁ ପ୍ରାର୍ଥନା କରି କବି କହିଛନ୍ତି- ହେ କରତା ପୁରୁଷ, କର ପତ୍ର ଯୋଡ଼ି, ପାଦତଳେ ପଡ଼ି ତୁମକୁ ଗୁହାରି ଜଣାଉଛି । ତୁମେ କୃପାର ସାଗର, ଅପାର ମହିମା ତୁମର । ଯେତେ ମୋ ଉପରେ କଷଣ ପଡ଼ୁଛି, କେତେ ବା କହିବି ? ହେ ଅଲେଖ ଅଦ୍ଭୁତ, ତୁମେ ଖମ୍ବ ପରି ବିରାଜିତ । ତୁମ ନାମର କ୍ଷୟବୃଦ୍ଧି ନାହିଁ । ଏହା ଚାରିଯୁଗରେ ସତ୍ୟ । ହେ କ୍ଷମାସାଗର, ଏ ସଂସାର ଲୀଳାଖେଳ । ମୁଁ ଏଠାରେ ଖେଳିବି ବୋଲି ଆଶା କରିଛି । ସଂସାରରେ ଗିରିମେରୁ ପରି ତୁମ ବାନାର ଉଦୟ ଘଟିଛି । ମୋର ହୃଦୟ ଶୋକ ସନ୍ତାପରେ ପୋଡ଼ି ଯାଉଛି । ଗତିମୁକ୍ତି ଦାତା ଶ୍ରୀଗୁରୁ । ତାଙ୍କ ଗୁଣଗାଇଲେ ଦିବା ରଜନୀ ବି ସରିବନି ।

 

ପ୍ରଭୁଙ୍କ ପଦ୍ମପାଦ ତିନିଭୁବନ ଘୋଟିଛି । ତୁମକୁ ମୁଁ ହୃଦୟରେ ଦୃଢ଼ଭାବେ ବାନ୍ଧି ରଖିଛି-। ହେ ପ୍ରଭୁ ଦୀନବନ୍ଧୁ, ଘଡ଼ି କୁ ଘଡ଼ି ମୋ ପାଖକୁ ବିପତ୍ତି ମାଡ଼ି ଆସୁଛି । ଅଲେଖ ମହିମାଙ୍କୁ ଭଜି ତାଙ୍କୁ ଆଶ୍ରା କରିଛି । ଶରୀର ଉପରେ ଦୁଃଖ ମାଡ଼ି ଆସୁଛି । ତାକୁ ପାସୋର ହେଉନାହିଁ । ଅବଧୂତ ବାନା ଉଡ଼ୁଛି । ପ୍ରଭୁଙ୍କ ଶ୍ରୀମୁଖରୁ ପଦେ ଶୁଣିବା ପାଇଁ ଚାହିଁ ରହିଛି । ଯାହାର ପଦ୍ମପାଦ ଚନ୍ଦ୍ରକିରଣ ପ୍ରାୟ ମନୋହର, କୋମଳ, ତାଙ୍କୁ ମୁଁ ଆଶ୍ରା କରିଛି । ଚକ୍ର, ବାନା ଥାଉଁ ଥାଉଁ ମୋତେ ପ୍ରମାଦ ପଡ଼ିଛି । ଗୁରୁଙ୍କ ଚରଣ ଧରି ମୁଁ ତରିଯିବି । ହେ ପ୍ରଭୁ ଚିଦାନନ୍ଦ, ମୋ ଦୁଃଖକୁ ଦୂର କର ।

 

ଛତ୍ର ପ୍ରାୟ ପାଦକୁ ମୁଁ କରିଅଛି ଆଶା

ଛାୟା ତଳେ ଥାଉଁ ଥାଉଁ ନ ହରୁଛି ତୃଷା ।

ଛଡ଼ ବେଦ ପରେ ଭଜି

ଛବି ଚାହାଁଣୀ ଚାତୁରୀ ଦୂରନ୍ତରେ ତେଜି ।୭।

 

ଯେବଣ ମହିମା ତିନି ଭୁବନେ ବିଖ୍ୟାତ

ଜାଣି ଲଗାଇଛି ନେଇ ପଦ୍ମପାଦେ ଚିତ୍ତ ।

ଯୁଗ କରତା ପୁରୁଷ

ଜୀବନ ଛାଡ଼ି ଶରୀର ହୋଇଲାଣି ଶେଷ ।୮।

 

 

ଝର ଝର ହୋଇ ବହୁଅଛି ଅଶ୍ରୁଧାର

ଝଞ୍ଜକା ଭିତରୁ ସ୍ୱାମୀ ସମ୍ଭାଳନା କର ।

ଝଟତିରେ ବୁଝ ପ୍ରଭୁ

ଝଡ଼ି ପଡ଼ୁଅଛି ଆଶା ଭରସା ମୋ ସବୁ ।୯।

 

ନିଜ ମହିମା କରତା ନିଅ ପାରିକରି

ନିଶି ଦିବସରେ ଦରଶନେ ମୁଁ ସୁମରି ।

ନାମ ନିଷ୍କାମ ଧରମ

ନିନ୍ଦିତରୁ ଲଜ୍ୟା ମୋତେ ହେଲାଣି ସରମ ।୧୦।

 

ଟାଣ ଶୂନ୍ୟ ପ୍ରଭୁଙ୍କୁ ମୁଁ କରୁଛି ଭଜନା

ଟଳି ଯାଉଅଛି ମୋର ଆଗତ ପାଞ୍ଚନା ।

ଟାକିଅଛି କରତାଙ୍କୁ

ଟିକସ ବସି ଗଲାଣି ନେତ୍ରେ ଦେଖୁ ଦେଖୁ ।୧୧।

 

ଠାକୁରଙ୍କ ଶ୍ରୀଚରଣେ କରିଅଛି ଆଶ

ଠିକଣାରେ ବୁଝ ପ୍ରଭୁ ତୁମ ନିଜ ଦାସ ।

ଠିକେ କହେ ଭୀମ ଭୋଇ

ଠାବ ରଞ୍ଚନା ହେଲାଣି ଧର୍ମରୁ ଛଡ଼ାଇ ।୧୨।

 

ଭାବାର୍ଥ- (୭-୧୨) ପ୍ରଭୁଙ୍କ ପାଦକୁ ମୁଁ ଛତ୍ରକୁ ଆଶ୍ରା କଲା ପରି କରିଛି । ଛତ୍ର ଛାୟା ତଳେ ଥାଉଁ ଥାଉଁ ତୃଷାରେ ଆତୁର ହୋଇ ପଡ଼ୁଛି । ଷଡ଼ବେଦରେ ଭଜନ କରି ରହିଛି । ଛବି ଚାହାଁଣି ଚାତୁରୀକୁ ବହୁ ଦୂରରେ ଛାଡ଼ି ଦେଇଛି । ଯାହାଙ୍କ ମହିମା ତିନି ଭୁବନରେ ବିଖ୍ୟାତ, ତାଙ୍କ ପଦ୍ମପାଦ ତଳେ ମନ ଲଗାଇଛି । ହେ ଯୁଗ କରତା ପୁରୁଷ, ମୋର ଜୀବନ ଛାଡ଼ି ଆସିଲାଣି, ଶରୀର କ୍ଷଣ ଗଲାଣି । ଆଖିରୁ ଧାରଧାର ହୋଇ ଲୁହ ବହୁଛି । ଦୁଃଖର ଝଡ଼ ଭିତରୁ ହେ ସ୍ଵାମୀ ମୋତେ ଉଦ୍ଧାର କର । ଶୀଘ୍ର ଏହି ବିଷୟ ବୁଝ । ମୋ ଆଶା, ଭରସା ସବୁ ଝଡ଼ିପଡ଼ୁଛି ।

 

ପ୍ରଭୁ, ନିଜ ମହିମାର ବଳରେ ମୋତେ ଉଦ୍ଧାର କର । ସାଂସାରିକ ଦୁଃଖରୁ ପାରିକର । ରାତିଦିନ ମୁଁ ତୁମ ଦର୍ଶନକୁ ସୁମରଣା କରୁଛି । କାମନା ବିହୀନ ନାମ, ଧର୍ମ । ନିନ୍ଦା ମୁଁ ପାଇଲିଣି, ଲାଜ ସରମରେ ସଢ଼ି ଗଲିଣି । ଦୟାମୟ ଶୂନ୍ୟ ପୁରୁଷ ପ୍ରଭୁଙ୍କୁ ମୁଁ ସର୍ବଦା ଭଜନ କରୁଛି । ମୋର ଦୁଃଖସବୁ ଟଳିଯିବ । ଜଗତ କର୍ତ୍ତାଙ୍କୁ ଚାହିଁ ବସିଛି । ଆଖିରେ ଦେଖି ଦେଖୁ ଟିକସ ବସିଗଲାଣି । ଠାକୁରଙ୍କ ଶ୍ରୀଚରଣରେ ଆଶା ବାନ୍ଧିଛି । ହେ ପ୍ରଭୁ, ମୁଁ ତୁମ ଦାସ, ମୋ ଦୁଃଖକୁ ବୁଝ ।

 

ଡେଙ୍ଗା ଜଗତୀରେ ଥାଇ ଡୋଳେ ଦେଖ ପ୍ରଭୁ

ଡକାଇତ ପ୍ରାୟ ମୁଁ ଯେ ପାଉଅଚି ଲଘୁ ।

ଡାକୁଅଛି ମୁଁ ଆତଙ୍ଗେ

ଡରୁଛି ଜୀବନ ମୋର କେହି ନାହିଁ ସଙ୍ଗେ ।୧୩।

 

ଢୁଳ ମାଡ଼ୁନାହିଁ ମୋତେ ଦିବସ ରଜନୀ

ଢଙ୍ଗ ରଙ୍ଗ କଥା ସବୁ ଅନ୍ତର୍ଗତେ ଜାଣି ।

ଢାଳି ବାନା ତଳେ ରଖ

ଢୋକିଲାଣି କାଳକୂଟ ଏତେବେଳେ ଦେଖ ।୧୪।

ଅଣରୂପ ସ୍ୱାମୀଙ୍କୁ ମୁଁ ଭଜନା କରୁଛି

ଅବ୍ୟକତ ବ୍ରହ୍ମ ବିନୁ ନ ଜାଣଇ କିଛି ।

ଅଣାକାର ପ୍ରଭୁ ବିଜେ

ଅନ୍ତର୍ଯ୍ୟାମୀ ଗୁରୁସ୍ୱାମୀ ରଖ ରଖ ସଜେ ।୧୫।

ତର ତର ହୋଇ ମୁଁ ଯେ ତିଆରୁଛି ପଦ

ତାକି ନାହିଁ ଆଗପଛ ବେଦ କି ନିର୍ବେଦ ।

ତିନି ତ୍ରୈଲୋକ୍ୟ କରତା

ତାଳପତ୍ରେ ଲେଖୁଅଛି ବୁଝିବ ବାରତା ।୧୬।

ଥୟ ଥିତି ନାହିଁ ମୋର ପଞ୍ଚଭୂତ ମନ

ଥରକୁ ଥର ଛାମୁରେ କରୁଛି ଜଣାଣ ।

ଥଳ ମହା ନିତ୍ୟବାସୀ

ଥାଉଁ ଥାଉଁ ଗୁରୁଦେବ ଯାଉଅଛି ଭାସି ।୧୭।

ଦଇବ କରତା ପ୍ରଭୁ ଅଟ ହେ ଆପଣ

ଦରିଦ୍ର ପ୍ରାଣୀର ଧନ ଦୁଃଖୀର ଜୀବନ ।

ଦୟାବନ୍ତ ପ୍ରଭୁ ମୋର

ଦୁରା କଷ୍ଟରୁ ବଞ୍ଚାଇ ସମ୍ଭାଳନା କର ।୧୮।

 

ଧାରଣା ହୋଇଛି ଧର୍ମ ରବିତଳେ ଆସି

ଧର୍ମାଧି ପୁରୁଷ ସ୍ୱାମୀ ମହା ନିତ୍ୟବାସୀ ।

ଧାରା ବୁଝାମଣା ହେଉ

ଧରଣୀରେ ଯଶକୀର୍ତ୍ତି ଯୁଗେ ଯୁଗେ ରହୁ ।୧୯।

 

ନବ ଖଣ୍ଡ ମେଦିନୀରେ ବିଜେ ବ୍ରହ୍ମରୂପ

ନୟନରେ ଦେଖି କ୍ଷୟ ହେଉଅଛି ପାପ ।

ନାମ ଜଗତେ ବିଖ୍ୟାତ

ନିରାପକ୍ଷ କଲେ ସ୍ୱାମୀ ହୋଇଲି ଅନାଥ ।୨୦।

 

ପ୍ରଭୁ ପାଦପଦ୍ମକୁ ମୁଁ କରିଛି ଆଶରା

ପଡ଼ୁଅଛି ଅଙ୍ଗେ ମୋର ପାପ ବୋଝ ଭାରା ।

ପୂର୍ଣ୍ଣାନନ୍ଦ ଦେଖ ଚାହିଁ

ପରାପତ ହେଲା ଶିରୀ ଯାଉଅଛି ବହି ।୨୧।

 

ଭାବାର୍ଥ- (୧୩-୨୦) ଡେଙ୍ଗାଜଗତୀ (ଦେଉଳ)ରେ ଥାଇ ପ୍ରଭୁ ତୁମେ ସବୁ ଦେଖୁଛି । ଡକାୟତଙ୍କ ପରି ମୁଁ ଲଜ୍ଜା ପାଉଛି । ବିପଦରେ ପଡ଼ି ତୁମକୁ ଡାକୁଛି । ଜୀବନ ପ୍ରତି ଭୟ ଲାଗୁଛି । ମୋ ସଙ୍ଗରେ କେହିନାହିଁ । ଦିବସ ରଜନୀ ମୋତେ ନିଦ ଲାଗୁନାହିଁ । ମୋର ସୁଖଦୁଃଖ କଥା ତୁମେ ଅନ୍ତରରେ ଜାଣିଛି । ବାନା ତଳେ ମୋତେ ଘୋଡ଼ାଇ ରଖ । ଏତେବେଳେ କାକକୂଟ ବିଷ ଢାଙ୍କିଲାଣି । ଅଣରୂପ ସ୍ୱାମୀଙ୍କୁ ମୁଁ ଭଜନ କରୁଛି । ଅବ୍ୟକ୍ତ ବ୍ରହ୍ମ ସେ । ତାଙ୍କ ବିନା ମୁଁ କିଛି ଜାଣେ ନାହିଁ । ଅଣାକାର ପ୍ରଭୁ ଅନ୍ତର୍ଯ୍ୟାମୀ, ଗୁରୁସ୍ୱାମୀ, ମୋତେ ରକ୍ଷାକର । ହେ ତ୍ରୈଲୋକ୍ୟ କରତା, ତାଳପତ୍ରରେ ତରତର ହୋଇ ପଦ ଲେଖୁଛି । ଶାସ୍ତ୍ର, ବିଦ୍ୟା କିଛି ଜାଣେ ନାହିଁ ।

 

ମୋର ପଞ୍ଚତ୍ତୂତ ମନ ଅଥୟ ହୋଇପଡ଼ିଛି । ସ୍ଥିର ରହୁନାହିଁ । ବାରମ୍ବାର ତୁମକୁ ଜଣାଣ କରୁଛି । ପ୍ରଭୁ ନିତ୍ୟବାସୀ ଗୁରୁଦେବ ଥାଉଁ ଥାଉଁ ମୁଁ ଭାସି ଯାଉଛି । ହେ ପ୍ରଭୁ, ତୁମେ ଦଇବ କରତା, ଦରିଦ୍ରଜନର ଧନ, ଦୁଃଖୀର ଜୀବନ । ଦୟାବାନ ପ୍ରଭୁ ମୋର, ଦୁଃଖ କଷ୍ଟରୁ ମୋତେ ଉଦ୍ଧାର କର । ଧରାପୃଷ୍ଠରେ ଧର୍ମ ବିରାଜମାନ କରୁଛି । ଧର୍ମାଧିପୁରୁଷ ସ୍ୱାମୀ, ତୁମେ ମହା ନିତ୍ୟବାସୀ । ଧରଣୀରେ ତୁମର ଯଶକୀର୍ତ୍ତି ଯୁଗେ ଯୁଗେ ରହିଥାଉ । ନବଖଣ୍ଡ ମେଦିନୀରେ ବ୍ରହ୍ମରୂପରେ ତୁମେ ବିଜେ କରିଛ । ତୁମକୁ ଚକ୍ଷୁରେ ଦେଖି ପାପ ରାଶି କ୍ଷୟ ଯାଉଛି । ତୁମ ନାମ ଜଗତରେ ବିଖ୍ୟାତ ହୋଇଛି, ମୋତେ ନିରାଶ କଲେ ଅନାଥ ହୋଇଯିବି ।

 

ଫର ଫର ହୋଇ ଶୂନ୍ୟେ ଉଡ଼ୁଅଛି ବାନା

ଫୁଟିଯାଉଛି ନୟନ ହେଉଅଛି ବଣା ।

ଫଣି ମଣି ଜ୍ୟୋତିଧାରୀ

ଫିଟାଇ ମାୟା ଜାଲରୁ କର ମୋତେ ପାରି ।୨୨।

 

ବୀରବର ବିଧୁବାନା ଉଦୟେ ସଂସାରେ

ବ୍ରହ୍ମାଣ୍ଡ କରତା ଥାଉଁ ପଡ଼ୁଛି ଅନ୍ଧାରେ ।

ବଳେ ବଳୀୟାର ପ୍ରଭୁ

ବଳାତ୍କୃତ ହୋଇଲାଣି ରୀତିମତେ ସବୁ ।୨୩।

 

ଭାବି ଭାବି ଭରସା ମୁଁ କରିଛି ବହୁତ

ଭାବେ ଭାରା ଉଶ୍ୱାସିବେ ଅଲେଖ ଅଦ୍‌ଭୁତ ।

ଭୀମ ଅରକ୍ଷିତ କହେ

ଭାଷା ପ୍ରବନ୍ଧେ ନାମକୁ କରିଅଛି ଲୟେ ।୨୪।

 

ମହିମା ସାଗର ସ୍ୱାମୀ ମହତ ପୁରୁଷ

ମହତ ସରିଗଲାଣି ପ୍ରତ୍ୟକ୍ଷରେ ଦେଖ ।

ମିଥ୍ୟା ମଣି ଏ ସମସ୍ତେ

ମାୟାମୋହେ ପଡ଼ି ସର୍ବେ କଲେଣି ଅପ୍ରତେ ।୨୫।

 

ଜଗତ କରତା ସ୍ୱାମୀ ଅଲେଖ ପୁରୁଷ

ଯୋଗୀନ୍ଦ୍ର ଜ୍ୟୋତି ସ୍ୱରୂପ ମହିମା ଅଶେଷ ।

ଜାଣି ଭଜି ଥାଉଁ ଥାଉଁ

ଯାନ ଜୀବନ ଗଲାଣି ଅଧିକ କି କହୁଁ ।୨୬।

 

ଭାବାର୍ଥ- (୨୧-୨୬) ପ୍ରଭୁଙ୍କ ପାଦପଦ୍ମକୁ ମୁଁ ଆଶ୍ରା କରିଛି । ମୋ ଶରୀରକୁ ପାପର ବୋଝ ଭାରାକ୍ରାନ୍ତ କରି ପକାଇଛି । ହେ ପୂର୍ଣ୍ଣାନନ୍ଦ, ମୋତେ ଚାହିଁ ଦେଖ । ପ୍ରାପ୍ତ ହୋଇଥିବା ଶିରୀ ଏବେ ବହି ଯାଉଛି । ଶୂନ୍ୟରେ ବାନା ଫର ଫର ହୋଇ ଉଡ଼ୁଛି । ଚକ୍ଷୁ ଫୁଟି ଯାଉଛି । ମୁଁ ବଣା ହୋଇ ପଡ଼ୁଛି । ହେ ଫଣିମଣି ଜ୍ୟୋତିଧାରୀ, ମାୟାଜାଲରୁ ଉଦ୍ଧାର କରି ମୋତେ ପାପପଙ୍କରୁ ପାରିକର । ସଂସାରରେ ବୀରବର ବିଧୁବାନା ଉଡ଼ୁଛି । ହେ ପ୍ରଭୁ, ତୁମଭଳି ବ୍ରହ୍ମାଣ୍ଡ କରତା ଥାଉଁ ଥାଉଁ ମୁଁ ଅନ୍ଧାରରେ ଘାଣ୍ଟି ହେଉଛି । ହେ ବଳୀୟାର ପ୍ରଭୁ, ରୀତିମତ ସବୁକିଛି ଏଠାରେ ବଳାକୃତ (ବଳଦ୍ଵାରା ଅଭିଭୂତ) ହେଲାଣି ।

 

ପ୍ରଭୁଙ୍କ ଗୁଣକୁ ଗୁଣି ଗୁଣି ତାଙ୍କୁ ଅନେକ ଭରସା କରିଛି । ପ୍ରଭୁ ଅଲେଖ ପରଂବ୍ରହ୍ମ ଏ ଧରା ପୃଷ୍ଠରୁ ଭାରା ଉଶ୍ୱାସିବେ । ଭୀମ ଅରକ୍ଷିତ ସର୍ବଦା ନାମକୁ ଲୟ କରିଛି । ହେ ମହିମା ସାଗର ସ୍ଵାମି, ମହତ ପୁରୁଷ, ମୋ ମହତ ସରିଗଲାଣି । ତୁମେ ପ୍ରତ୍ୟକ୍ଷରେ ଏହାକୁ ଦେଖ । ଜଗତର ଲୋକେ ପ୍ରଭୁଙ୍କୁ ମିଥ୍ୟା ଭାବି ସେମାନେ ମୋହମାୟାରେ ବାନ୍ଧି ହୋଇଯାଇଛନ୍ତି । ହେ ଜଗତ କରତା ସ୍ୱାମି, ଅଲେଖ ପୁରୁଷ, ତୁମେ ଯୋଗୀନ୍ଦ୍ର ଜ୍ୟୋତି ସ୍ୱରୂପ । ତୁମର ଅଶେଷ ମହିମା-। ଭଜନ କରୁ କରୁ ଜୀବନ ଚାଲି ଯିବାକୁ ବସିଛି । ଅଧିକ କ’ଣ ବା କହିବି ?

 

ରସା ମେଦିନୀରେ ନର ଅଙ୍ଗେ ଅବତାର

ଋଷିଗଣ ଘେନି କରୁଅଛ ଖେଳଘର ।

ଲୋମ ମୂଳରେ ବ୍ରହ୍ମାଣ୍ଡ

ରକ୍ଷାକର ମୋତେ ପ୍ରଭୁ ପଡ଼ୁଅଛି ଦଣ୍ଡ ।୨୭।

 

ଲଘୁଯଶା ଯେତେ ଜାଣୁଥିବ ତ ଆପଣ

ଲେଖି ଲେଖି ଶ୍ରୀହଜୁରେ କରୁଛି ଜଣାଣ ।

ଲାଗିଅଛି ଦେବକୁଟ

ଲାଭ ହାନିକି ବିଚାରି ଫେଡ଼ ମୋ ସଂକଟ ।୨୮।

 

 

ବୁଦ୍ଧ ଅବତାରେ ପ୍ରଭୁ ବ୍ରହ୍ମାଣ୍ଡ ବିଜୟେ

ବାନା ଉଡ଼ୁଅଛି ତିନିପୁରେ ଜୟେ ଜୟେ ।

ବାହୁ ତଳେ ମୋତେ ରଖ

ବର୍ଗ ବନ୍ଧୁ ଅଟ ପରା ଅନାଦି ଅଲେଖ ।୨୯।

 

ଶ୍ରୀବନ୍ତ ପୁରୁଷ ସ୍ୱାମୀ ଅଟ ସତ୍ୟବାଦୀ

ଶରଣ ପଶୁଛି ମୁଁ ଯେ ସଦା ଅପରାଧୀ

ଶାହା ନାହିଁ ମୋର କେହି

ଶ୍ରୀଗୁରୁ ଛାମୁରେ ଭାରା ଅଛି ମୁଁ ପକାଇ ।୩୦।

 

ସିଂହ ପରାକ୍ରମ ବାନା ଉଦେ ହୋଇଥାଇ

ଶୃଗାଳ ପଶି ମୋ ମାଂସ ଯାଉଅଛି ଖାଇ ।

ସତ୍ୟ କଥା ନୋହେ ମିଛ

ଶୂନ୍ୟବାସୀ ଅନ୍ତର୍ଯ୍ୟାମୀ କିସ ଦେଖୁଅଛ ।୩୧।

 

ସାରବ୍ରହ୍ମ ଗୁରୁଦେବ ଅଲେଖ ମହିମା

ସରିଯାଉଅଛି ରଖ ଭକ୍ତଙ୍କ ଗରିମା ।

ସର୍ବ କଥାରେ କାରଣ

ସାମର୍ଥ୍ୟ ଶ୍ରୀଗୁରୁଦେବ ସଙ୍କଟ ବାରଣ ।୩୨।

 

 

ହିତକାର ଗତି ମୁକ୍ତି ପ୍ରଭୁ ପିତା ମାତା

ହାନିଲାଭ ସର୍ବ କଥା ବୁଝିବ ବାରତା ।

ହେଉଅଛି ମୁଁ ବିକଳ

ହରିହର ବ୍ରହ୍ମା ସାକ୍ଷୀ ଦଶଦିଗପାଳ ।୩୩।

 

କ୍ଷିତିମଣ୍ଡଳରେ ବିଜେ ମହିମା ସାଗର

କ୍ଷମେ ଭଣେ ଭୀମ ଭୋଇ ଅଜ୍ଞାନ ପାମର ।

କ୍ଷମାକର ଗୁରୁଦେବ

କ୍ଷୁଦ୍ର ବଚନେ ମହତ୍ୱ ସରିଲାଣି ସର୍ବ ।୩୪।

 

ଭାବାର୍ଥ- (୨୭-୩୪) ହେ ପ୍ରଭୁ ଅଲେଖ ପରଂବ୍ରହ୍ମ, ପୃଥିବୀରେ ନର ଦେହ ଧାରଣ କରି ଅବତାର ନେଇଛ । ଋଷିଗଣଙ୍କୁ ନେଇ ଲୀଳାଖେଳ କରୁଛ । ତମ ଲୋମମୂଳରେ ବ୍ରହ୍ମାଣ୍ଡ ପୂରି ରହିଛି । ମୋର ଅଶେଷ ଦୁଃଖ । ସେଥିରୁ ମୋତେ ରକ୍ଷା କର । ପ୍ରଭୁ, ସବୁକଥା ତ ତୁମେ ଜାଣିଛି । ଲେଖି ଲେଖି ତୁମ ଆଗରେ ଜଣାଣ କରୁଛି । ଦେବକୂଟ ମାୟାରେ ମୁଁ ପଡ଼ିଛି । ଲାଭକ୍ଷତିକୁ ବିଚାର କରି ମୋ ସଙ୍କଟକୁ ଫେଡ଼ ।

 

ପ୍ରଭୁ, ବୁଦ୍ଧ ଅବତାରରେ ଏ ବିଶ୍ୱବ୍ରହ୍ମାଣ୍ଡରେ ବିଜେ କରିଛ । ତିନିପୁରରେ ଜୟଜୟକାର ହୋଇ ବାନା ଉଡ଼ୁଛି । ପ୍ରଭୁ, ମୋତେ ତୁମେ ବାହୁ ତଳରେ ରଖ । ହେ ଅନାଦି ଅଲେଖ, ତୁମେ ମୋର ଭାଇ ବନ୍ଧୁ ବର୍ଗ । ତୁମେ ଶ୍ରୀବନ୍ତ ପୁରୁଷ, ସ୍ୱାମୀ ସତ୍ୟବାଦୀ । ମୁଁ ତୁମ ପାଖରେ ସଦା ଅପରାଧୀ, ମୋର କେହି ସାହା ନାହାନ୍ତି । ଏଣୁ ଶରଣ ପଶୁଛି ରକ୍ଷା କର । ଶ୍ରୀଗୁରୁଙ୍କ ଛାମୁରେ ଭାରା ରଖିଛି ।

 

ହେ ପ୍ରଭୁ ତୁମ ସିଂହ ପରାକ୍ରମ ବାନା ଫରଫର ଉଡ଼ୁଛି । ଶୃଗାଳ ପଶି ମୋ ମାଂସ ଖାଇ ଯାଉଛି । ଏହା ସତ୍ୟ କଥା, ମିଛ ନୁହେଁ । ହେ ଶୂନ୍ୟ ବାସୀ ଅନ୍ତର୍ଯ୍ୟାମୀ, ମୋତେ ରକ୍ଷା କର-। ହେ ସାରବ୍ରହ୍ମ ଗୁରୁଦେବ, ଅଲେକ ମହିମା, ଭକ୍ତଙ୍କ ଗରିମା ସରିଯାଉଛି, ଉଦ୍ଧାର କର । ସର୍ବ ଦୁଃଖ ବିନାଶନ ପ୍ରଭୁ ଶ୍ରୀଗୁରୁଦେବ, ସଙ୍କଟକୁ ନିବାରଣ କର । ହେ ଶୂନ୍ୟ ଅଲେଖ ବ୍ରହ୍ମ, ଗତିମୁକ୍ତିଦାତା, ହେ ପିତାମାତା । ହେ ହରିହର ବ୍ରହ୍ମା, ଦଶଦିଗପାଳ ତୁମେ ସାକ୍ଷୀ ଅଛି । ମୁଁ ବିକଳ ହୋଇ ତୁମକୁ ଡାକୁଛି, ମୋ ଦୁଃଖ ଶୁଣ । ହେ ମହିମା ସାଗର, ବିଶ୍ୱବ୍ରହ୍ମାଣ୍ଡରେ ତୁମେ ପରିବ୍ୟାପ୍ତ । ହେ ଗୁରୁଦେବ, କ୍ଷମାକର । ଅଜ୍ଞାନ ପାମର ଭୀମ ଭୋଇକୁ କ୍ଷମା କର ।

Image